ଖେଳି ଆସୁଥାନ୍ତି ନାନା ରଙ୍ଗେଣ
ଗୋପୀଭାଷା
ମୋର ମନ୍ଦିରେ ପଶିଲେ ମାଧୋଇ ।ଘରେ ଦେଖିଲେ ନାହିଁ ଦୁଧ ଦହି ।ଶିକା ଉପରେ ନଉତି ଦେଖିଲେ ।ହସ୍ତ ନ ପାଇଲାକୁ ବୁଦ୍ଧି କଲେ ।ପିଢ଼ା ଉପରେ ପିଢ଼ାମାନ ଥୋଇ ।ତଥି ଉପରେ ଉଠିଲେ ମାଧୋଇ ।ଯଷ୍ଟି ଘେନି ଫୋଡିଲେ ଦଧିଭାଣ୍ଡ ।ଜଳା ସଳଖେ ପାତିଛନ୍ତି ତୁଣ୍ଡ ।ମୁଁ ଗୋ ଏମନ୍ତ ସମୟେ ଅଇଲି ।ନୀରଭାଣ୍ଡ ତଳେ ଥୋଇ ଚାହିଁଲି ।ଦୁଧ ପିଉଛି ହାଣ୍ଡି କଣାକରି ।ଯାଇଁ ବସିଲି ଦୁଆର ଆବୋରି ।ଆଜ ଜାଣିବି ଯିବୁ କେଉଁ କତି ।ମିଛପ୍ରାୟ ମଣେ ନନ୍ଦ-ଯୁବତୀ ।ନିତିପରା ମୋଘରୁ ସର୍ବ ଖାଉ ।ଆଜ ଜାଣିବା ତୋତେ କେହୁ ନେଉ ।ମୋତେ ତରକି ବାଙ୍କେ ଅନାଇଲା ।ଦୁଧଗଣ୍ଡଷ ଲୋଚନେ ମାଇଲା ।ବେନି ହସ୍ତେ ବୁଜିଲା ବେନି ଡୋଳା ।ପେଲି ପକାଇ ଗଲା ନନ୍ଦବଳା ।ଏକ ଗୋପିଏ ବୋଇଲା ମିତଣି ।ସେ ଗୋ ବଡ ମାୟାବୀ ଚକ୍ରପାଣି ।ଦିନେ ଗୋଗୋଷ୍ଠେ ରହିଲା ଗୁଆଳ ।ଚୋରରୂପ ଦଇଲା ନନ୍ଦବାଳ ।ନିଶାକାଳେ ମୋ ପୁରକୁ ଅଇଲା ।ଦହି ଦୁଧ ସର ସବୁ ଖାଇଲା ।ଶାଶୁ ପଣତ ଧରି ଓଟାରଇ ।ବୋହୁ ଚୋରି ବୋଲି ଡକାପାରଇ ।ଦୀପ ବହନକରିଣ ଧର ଗୋ ।ଆମ୍ଭ ଘରେ ପଶିଅଛି ଚୋର ଗୋ ।ଦୀପ ଲଗାଇ କୃଷ୍ଣଙ୍କୁ ଧଇଳୁଁ ।ବାନ୍ଧି ଯଶୋଦା ଆଗରେ କହିଲୁଁ ।ବେଗେ ଘରୁ ଆସ ଗୋ ନନ୍ଦରାଣୀ ।ଯାଇ ଦେଖ ତୋ ପୁଅର ବାନ୍ଧେଣି ।
କଂସନୃପତି ମଲା କି ଶୁଣିଲୁ ।ଛତ୍ର ତୋହରି ଆଡ଼କୁ ଆଣିଲୁ ।ପୁଅ ଗୋପପୁରେ ଷଣ୍ଢ ହୋଇଲା ।ନାନା ଅନ୍ୟାୟମାନ ପାର କଲା ।ଶଏବାରେ କହିଲେ ନ ତିଆରୁ ।ଆଜି ଜାଣିବା କେହୁ ରକ୍ଷାକରୁ ।ତୋର ପୁଅ ପଦହିଁ ସରିଯିବ ।ଆମ୍ଭ ଘର ପଛେ ଗୋପେ ନୋହିବ ।କେତେ ତନୟ ଗୋପପୁରେ ନାହିଁ ।ଏଡ଼େ ଉଛୁଳି ପୁଅ ଅଛି କାହିଁ ।ମୋର ପ୍ରଜଳି ଶୁଣି ନନ୍ଦରାଣୀ ।ଘର ଭିତରୁ ବାହାର ସେକ୍ଷଣି ।କୃଷ୍ଣ ଧରିଣଛନ୍ତି ବାମକର ।କାମପାଳହିଁ ଅଛନ୍ତି ସଙ୍ଗର ।ବେନି ଭାଇ ବେନିପାଶେ ଅଛନ୍ତି ।ଘରଭିତରୁ ବାହାର ଯୁବତୀ ।କିଲୋ କିତେଜ କାଢ଼ିଛୁ ଗୁଆଳୀ ।ତୋତେ କିକଲା ମୋର ବନମାଳୀ ।ମୋର ବାଳୁତପୁଅଲୋ କହ୍ନାଇ ।ହସି ଖେଳି ଲୋ ସେତ ନ ଜାଣଇ ।ଆଜି ଘରୁଲୋ ନୋହିଛି ବାହାର ।କେଉଁବାଟେ ଲୋ ଗଲା ତୋରପୁର ।ମୋର ସହିବା ସତପ୍ରାୟେ ମଣୁ ।ଦୋଷ ଦିଅ ଲୋ କେଉଁ ବଡ଼ପଣୁ ।ଦେଖି ତୁଣ୍ଡରୁ ନ ଆସେ ବଚନ ।ମୋତେ ନନ୍ଦରାଣୀ ପଦ ତେସନ ।ତହୁଁ ଲାଜେ ମୁଁ ବାହୁଡ଼ି ଅଇଲି ।କୃଷ୍ଣ ବାନ୍ଧବା ଠାବରେ ହୋଇଲି ।ମୋର ତନୟ ବନ୍ଧା ହୋଇଅଛି ।ତାହା ଦେଖି ମୋ ନସ୍ଫୁରଇ କିଛି ।ଫେଡ଼ିଦେଇ କାହାକୁ ନ କହିଲି ।ଲାଜେ ମୋହ ସୁଖେ ତୁନି ହୋଇଲି ।ସାନବେଳହୁଁ ମାୟା ଅଗୋଚର ।ତେଣୁ ଅଟଇ ନାମ ମାୟାଧର ।
ଏକ ଗୋପୀଏ ବୋଇଲା ବିଚାର ।ତାର ସାନବେଳ କଥା ପଚାର ।ଦିନେ ଯୋଶଦା କୋଳେ ଖେଳୁଥିଲା ।ମୋତେ ଦେଖି ମୋ କୋଳକୁ ଅଇଲା ।କାଖକରି ମୋ ଶରଧା ବଳିଲା ।ମୋର କୁଚରେ ହସ୍ତ ପକାଇଲା ।ଚାରିଦିଗକୁ ଚାହିଁ ଅନୁସରି ।ମୁଖେ ଚୁମ୍ବନ ଦେଲା ସ୍ଥିର କରି ।ମୋର ଅଙ୍ଗେ ପୀଡ଼ିଲା ପଞ୍ଚଶର ।ଦେହ ହୋଇଲା ସାହିକ ବିକାର ।ମୋତେ ଅନଙ୍ଗଜ୍ଜର କଲା ପୀଡ଼ା ।ଟୋକା ବେଳହୁଁ କାହ୍ନୁ ଘରବୁଡ଼ା ।ଏକ ଗୋପୀଏ ବୋଇଲା ସଙ୍ଗାତ ।ମୋତେ ସବୁହିଁ କଲେ ବିପରୀତ ।ଦିନେ ଦେଖିଲି ଖେଳିଛି ଦାଣ୍ଡରେ ।ଧୂଳି ଝାଡ଼ି ମୁଁ ଧଇଲି କୋଳରେ ।ଦିଗମ୍ବର ସ୍ବରୂପେ ବହେ ଝାଳ ।ଲକ୍ଷକଣ୍ଠି ମଧ୍ୟେ ନଖ-ଶାର୍ଦ୍ଦୁଳ ।ବେଣୀ ଲମ୍ବଇ ତୈଳେ ଜର ଜର ।ନୀଳମଣୀ ଅଙ୍ଗେ ଧୂଳି ଧୂସର ।କାଖକରି ଘରକୁ ଘେନି ଗଲି ।ଘରେ ଲବଣୀ ସର ଭୁଞ୍ଜାଇଲି ।ଭୁଞ୍ଜୁ ଭୁଞ୍ଜୁ ସେ ନିଦ୍ରାଗଲେ ଯହୁଁ ।ନେଇ ପଲଙ୍କେ ଶୁଆଇଲି ତହୁଁ ।ମୁଁ ଗୋ କୋଡ଼ରେ ଘେନିଣ ଶୋଇଲି ।ନିଦ୍ରା ଗଲେ ଛାଡ଼ିଯିବି ବୋଇଲି ।କୋଟିକନ୍ଦର୍ପ ମୂରତି ଧଇଲା ।ବାଳ କୁମର ତରୁଣ ହୋଇଲା ।ମୁଁ ଗୋ ହୋଇଲି ତାହାର ଆୟତ୍ତ ।ମୋର ଅଙ୍ଗୁର ହରି ନେଲା ଚିତ୍ତ ।ଚଉଷଠି ବନ୍ଧରେ ବିପରୀତ ।ଯାହା ଶୁଣି ନଥିଲା କର୍ଣ୍ଣ ପଥ ।ତେତେ ପରିବନ୍ଧ କେହୁ ଜାଣିବ ।କାମଦେବହିଁ ଜାଣି ନ ଜାଣିବ ।
ରତି ସାରି ମୁଁ ପିନ୍ଧିଲି ବସନ ।ହେଲା ସେହି ବାଳପୁଅ ତେସନ ।ଚିନ୍ତୁଥାଇ ମୁଁ ରାତ୍ରି ଦିବା ବସି ।ଫେଡ଼ି କହିଲି ଏତେକାଳେ ଆସି ।ଜଗନ୍ନାଥ ତାହାଙ୍କୁ ବଡ଼ କଲେ ।ପ୍ରଭୁପଣହିଁ ତାଙ୍କୁ ହସ୍ତେ ଦେଲେ ।ଏବେ ହୋଇଲେ ତହିଁ ପୁଂସ ସାର ।ତାଙ୍କୁ ଯୁବତୀ ମିଳିଛି ଅପାର ।ରାଜା ମାରି ପାଇଛି ବଡ଼ପଣ ।ଆଉ ଅଛି କି ତାର ବ୍ରଜ ଗୁଣ ।ତୁମ୍ଭେ କିପାଇଁ ମନରେ ପଡ଼ିବ ।ତାଙ୍କୁ ନ ମିଳିଲେ ସିନା ଲୋଡ଼ିବ ।ଏବେ ବେଭାରେ ଚତୁର ହୋଇଲା ।ତହୁଁ ଚତୁରୀ ନାରୀଙ୍କି ମୋହିଲା ।ଏକେ ନାଗର ଅଟଇ ସୁରଙ୍ଗ ।ଦୁଜେ ପଡ଼ିଲା ନାଗରୀଙ୍କ ସଙ୍ଗ ।ତହିଁ ରସିକା ଯୁବତୀ ଅପାର ।ରତି ଜାଣନ୍ତି ବିବିଧ ପ୍ରକାର ।ତାଙ୍କୁ ନାନା ରସରେ ରସାଇଲେ ।ଗୋପପୁର କଥା ପାଶୋରାଇଲେ ।ଆମ୍ଭେ ଯେତେ ହୋଇଲେ ଗଉଡ଼ୁଣୀ ।ତାଙ୍କ ଭାବ ଜାଣିବା କାହୁଁ ପୁଣି ।ଯାକୁ ନାନା ରସପଣା ମିଳିବ ।ସେ ଗୋ ଗୁଡ଼ପଣା କିସ କରିବ ।ଯାକୁ ମିଳିବ ଦିବ୍ୟ ଶାଳିଅନ୍ନ ।ତାର ବଗଡ଼ା ଭାତେ କାହିଁ ମନ ।ଯାକୁ ମିଳିବ ସୁବାସ ଚନ୍ଦନ ।ତାର ନିମ୍ବ କାଠରେ କାହିଁ ମନ ।ଯେହୁ ଗଙ୍ଗାରେ କରିବ ସ୍ନାହାନ ।ତାର କପ ଜଳରେ କାହିଁ ମନ ।ଯେହୁଁ ପାଟପତନି ଗୋ ପିନ୍ଧିବ ।ସେ ଗୋ ଶୁକୁଳ ବସ୍ତ୍ର କି କରିବ ।ଯାକୁ ମିଳିବ ପଲଙ୍କ ସୁପାତି ।ତାର ଭୂମିଶଯ୍ୟାରେ କାହିଁ ମତି ।
ତାଙ୍କୁ ଅପୂର୍ବ କେଉଁ ଦ୍ରବ୍ୟ ଅବା ।
ଦାସ ଦନାଇ ସେହିଠାରେ ସେବା ।
ତୃତୀୟ ଛାନ୍ଦଏକ ଗୋପୀ ବୋଇଲା ଶୁଣ ସଖି ।ଭାଳି ମରିବା ସିନା ହୋଇ ଦୁଃଖୀ ।ସେ ଗୋ ପୁରୁଷ ଜାତି ଭୃଙ୍ଗମତି ।ପୁଷ୍ପ ଚୁମ୍ବିବାଯାଏ ଭଣ୍ଡୁ ଥାନ୍ତି ।ପୁଷ୍ପ ଚୁମ୍ବିଲେ ନ ଦ୍ୟନ୍ତି ଉତ୍ତର ।କୃଷ୍ଣ ସେହିରୂପେ ହେଲେ ଅନ୍ତର ।ବିଟପୁରୁଷମାନେ ସେହିମତି ।କାର୍ଯ୍ୟ ପାଇବାଯାଏ ଭଣ୍ଡୁଥାନ୍ତି ।ଏକ ଗୋପୀ କଥା ଶୁଣି ଆରେକ ।ଆଗସରି କହିଲା କଥା ଏକ ।ସେ ଗୋ ସପତଣୀ କଥା ନ ପାଡ଼ ।ନିଶ୍ଚେ ମରିବା ଯେବେ ଅନ୍ନ ଛାଡ଼ ।ଚାରିଆଡ଼େ ଶୁଭୁ ଅପକୀରତି ।କୃଷ୍ଣ ଆଶେ ମଲେ ଗୋପ ଯୁବତୀ ।ସ୍ତିରୀହତ୍ୟା ପାତକ କୃଷ୍ଣ ପାଉ ।ତାର ପୁଣ୍ୟ ଯେତେକ କ୍ଷୟ ଯାଉ ।ଏତେ ବୋଲି ଗୋପୀ ତୁନି ହୋଇଲା ।ଏକ ଗୋପୀଏ ଥାଇଣ ବୋଇଲା ।ମୁଁ ଗୋ କଥାଏ କହିବି ପରାଣ ।ତୁମ୍ଭେ କୃଷ୍ଣର କଥା ଗୋ ନ ଜାଣ ।କ୍ଷୀର ଦେବାକୁ ପୂତନା ଅଇଲା ।ବାଳ କୁମରକୁ କୋଳେ ଧଇଲା ।ଶ୍ରଦ୍ଧା କରି ଦେଉଛି କ୍ଷୀରପାନ ।ଦୁଧ ସଙ୍ଗତେ ଶୋଷିଲେ ପରାଣ ।ତାକୁ ସ୍ତିରୀହତ୍ୟାହିଁ ନ ଲାଗିଲା ।ଆଉ ସମସ୍ତେ ବୋଲେ ଭଲ କଲା ।ପୁଣି କଚାଡ଼ିଲେ ଷଣ୍ଡ ଗୋଟାଏ ।ଗୋରୁ ବଧ ଲାଗିଲା କେଉଁଠାଏ ।
Comments
Loading comments…