ଅନ୍ଧକାରର ଆତ୍ମପ୍ରସାଦ
ଅର୍ଘ୍ୟଥାଳୀ
ମନେ ମନେ ହସି ଭାବି ବୋଲେ ଅନ୍ଧକାର,ବିଚିତ୍ର ଅଟଇ ସିନା ଲୋକବ୍ୟବହାର ।
ଦେଖ ମୋତେ କରିଥାନ୍ତି ଦୁଃଖର ଉପମ,କରନ୍ତି ଅଜ୍ଞାନ-ବିଷ ବିପଦରେ ସମ ।
ଆଲୋକରେ ଭ୍ରମି ଭ୍ରମି ପ୍ରାଣୀ ହୁଏ ଶ୍ରାନ୍ତ,ବଳେ ତାକୁ କୋଳେ ଧରି କରଇ ମୁଁ ଶାନ୍ତ ।
ଅଜ୍ଞାନର ସମତାରେ ନାହିଁ ମୋର କ୍ଷୋଭ,ଅଜ୍ଞାନର ସନ୍ତୋଷରେ ବରଞ୍ଚ ମୋ’ ଲୋଭ ।
କେଉଁ ଶ୍ରେୟ ଅଛି ଭବେ ଜ୍ଞାନୀ ନାମ ବହି,କେତେ ଜ୍ଞାନବାନ ଦେଇଥାନ୍ତି ଦହି ।
ସନ୍ନିପାତେ ହୋଇଥାଏ ବିଷ ପ୍ରୟୋଜନ,ସୁଖୀ ମୁହିଁ ହୋଇ ତାର ଉପମାଭାଜନ ।
ବିପଥଗାମୀକି କରେ ବିପଦବାରଣ,ଇଚ୍ଛୁକ ମୁଁ ସଦା ତାର ମିତ୍ରତା କାରଣ ।
କେହି ମୋତେ ବୋଲିଥାନ୍ତି ଚୋରର ସହାୟମାନବର କି ଅଦ୍ଭୁତ ବିବେଚନା ହାୟ !
ଆଲୋକରେ ଦେଖେ ଚୋର ଧନିକର ଧନ,ଆଲୋକରେ ତଡ଼ି ମୋତେ କରେ ତା’ ହରଣ ।
କେହି ଅବା ବୋଲେ ମୋତେ ଲମ୍ପଟର ବନ୍ଧୁମୋ’ ଯୋଗେ କୁପଥେ ପରା ଯାଏ କୁଳବଧୂ ।
କୁଳବଧୂ ମୁଖ କିଏ କରେ ପ୍ରଦର୍ଶନ,କିଏ ବା କରାଏ ତାର ଚିତ୍ତ ଆକର୍ଷଣ ।
ନ ଧରନ୍ତି କେହି କେବେ ତେଜସ୍ୱୀର ଦୋଷ,ସ୍ୱଭାବେ ଶୀତଳ ମୁହିଁ, ସ୍ୱଭାବେ ମୋ’ ତୋଷ ।
ଗୁଣ ଘେନିବାକୁ ଲୋକେ ନ ଥିଲେହେଁ ଅନ୍ୟ,ମୋ’ ଗୁଣ ବିଚାରି ନିଜେ ବୋଲେ ମୁହିଁ ଧନ୍ୟ ।
•••
Comments
Loading comments…