ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର
ଅର୍ଘ୍ୟଥାଳୀ
ମନ ଯା’ର ବ୍ୟସ୍ତ ସଦା ପରସ୍ୱହରଣେ,ଧନ ଯା’ର ବିଦଳିତ ଗଣିକା-ଚରଣେ,ଜୀବନ ଯା’ ଲକ୍ଷ ଳକ୍ଷ ଲୋକଙ୍କର ଭାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ବିଦ୍ୟା ଯା’ର ମୋଡ଼ୁଥାଏ ଧର୍ମନୀତି ମୁଣ୍ଡ,ବୁଦ୍ଧି ଯା’ର କରୁଥାଏ ଶତ ସତ୍ୟ ଗୁଣ୍ଡ,ଧନେ କ୍ରୀତ ହେଉଥାଏ ଯାହାର ବିଚାରତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ସୁବର୍ଣ୍ଣ ହରଣ କରି ତାମ୍ର କରେ ଦାନ,ଧନେ କରିଥାଏ ପ୍ରଭୁ ସନ୍ତୋଷବିଧାନ,ଢାଙ୍କିବାକୁ ଦୋଷ ଦିଏ ନାନା ଉପହାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,କରୁଥାଏ କ୍ଷମତାର ଅପବ୍ୟବହାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।
ବହିର୍ଗତ ହୋଇଥାଏ ଘରୁ ଶୂନ୍ୟକରେ,ଶଗନ ଶଗଡ଼ ଦ୍ରବ୍ୟ ଆଣି ଘରେ ଭରେ,ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।
•••
Comments
Loading comments…