ନର ଓ ମୟୂର
ଅର୍ଘ୍ୟଥାଳୀ
ହସ୍ତୀର ଉପରେ ବସିଥିଲେ ନରବରଚିତ୍ରମୟ ପରିଚ୍ଛଦେ ମଣ୍ଡି କଳେବର ।
ଶିଖରୀ ଶିଖରେ ରହି ଶିଖୀ ତାହା ଚାହିଁ,ସହି ନ ପାରିଲା ତାଙ୍କ କୃତ୍ରିମ ବଡ଼ାଇ ।
କେକାରବେ ଡାକଦେଲା ବିସ୍ତାରି ସ୍ୱପୁଚ୍ଛ,ନୁହ ନୃପ ମୋ’ ସମାନ ରମ୍ୟ ଅବା ଉଚ୍ଚ ।
ଦେଖ ମୋତେ, ମୋହଠାରୁ ଅଟ କେଡ଼େ ଖର୍ବକି ଘେନି ନିଜକୁ ଉଚ୍ଚ ମଣି କର ଗର୍ବ ।
ମୋର ପୁଚ୍ଛ ସଙ୍ଗେ ଯଦି କରିବ ତୁଳନା,ନିଶ୍ଚୟ ମଣିବ ନିଜ ବେଶକୁ ଅଲଣା ।
ତୁମ୍ଭେ ବା ବୋଲିବ ଅଛି ମାନବର ଜ୍ଞାନ,ପକ୍ଷିଜାତି ହେବ କାହିଁ ମାନବ ସମାନ ?
ଭେକର ବିକଟ ରବେ ନଥାଏ ମୋ’ କର୍ଣ୍ଣ,ନାଚୁଥାଏ ଊର୍ଦ୍ଧେ ଶୁଣି ଜଳଦ ଗର୍ଜନ ।
ନୀଚର କୁବାଣୀ ସହି ଉଚ୍ଚର ଭର୍ତ୍ସନା,ହିତ ମଣି କର କି ହେ ଉଚ୍ଚର ଅର୍ଚ୍ଚନା ?
ଭୟଙ୍କର ବିଷଧର କରେଁ ଗର୍ଭସାତ,ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ?
ଇନ୍ଦ୍ରଧନୁ ଦରଶନେ ବଢ଼େ ମୋ’ ଆନନ୍ଦ,ପରଶିରୀ ହୁଅଇ କି ତୁମ୍ଭ ପ୍ରୀତିପ୍ରଦ ?
ପର୍ବତେ ମୋ’ ଯେଉଁ ସୁଖ ସେ ସୁଖ ଭୂମିରେ,ସମ ସୁଖୀ ଥାଅ କି ହେ ପ୍ରାସାଦେ କୁଟୀରେ ?
•••
Comments
Loading comments…