ପଞ୍ଚାୟତ

ଅର୍ଘ୍ୟଥାଳୀ

ପଞ୍ଚଭୂତ ଯୋଗେ ବିଧି ଗଢ଼ି ଅପଘନପ୍ରାଣ ଆଦି ପଞ୍ଚବାୟୁ କଲା ସଂସ୍ଥାପନ ।ପଞ୍ଚକୋଷେ କରେ ସିନା ପରମାତ୍ମା ବାସପଞ୍ଚକୋଳେ ପଞ୍ଚମୂଳେ ଆମୟ ବିନାଶ ।ପଞ୍ଚଗଙ୍ଗା ସ୍ନାନେ ତାପ ନ ରହେ କିଞ୍ଚିତ,ପଞ୍ଚଗବ୍ୟେ ହୋଇଥାଏ ପାପ ପ୍ରାୟଶ୍ଚିତ୍ତ ।ପଞ୍ଚଶରେ ପଞ୍ଚଶର କରେ ବିଶ୍ୱ ଜୟ,ପଞ୍ଚମୁଖ ସିଂହ ବନେ ଭ୍ରମଇ ନିର୍ଭୟ ।ହସ୍ତ କରେ କାର୍ଯ୍ୟ ପଞ୍ଚ ଅଙ୍ଗୁଳିର ବଳେ,ପଞ୍ଚ ପଞ୍ଚ ଇନ୍ଦ୍ରିୟରେ ଜ୍ଞାନକର୍ମ ଚଳେ ।ସେହିରୂପେ ପଞ୍ଚାୟତ ସମାଜ-ଜୀବନେଅଶେଷ କଲ୍ୟାଣକର ଅଟଇ ଭୁବନେ ।ପୂର୍ବକାଳେ ପଞ୍ଚାୟତେ ଥା’ନ୍ତି ସଭାସଦ,ଧର୍ମକୁ ଯେ ମଣୁଥିଲେ ଅମୂଲ୍ୟ ସମ୍ପଦ ।ପକ୍ଷପାତ ମଣି ପାପ ମହାଭୟଙ୍କରସମ ଜ୍ଞାନ କରୁଥିଲେ ମନେ ନିଜ ପର ।ଶାସ୍ତ୍ରମତେ ଥିଲେ ଯେଣୁ ନ୍ୟାୟପରାୟଣଅଦ୍ୟାପି ବୋଲନ୍ତି ଲୋକେ ‘ପଞ୍ଚନାରାୟଣ’ ।ପରକାଳେ ଥିଲା ତାଙ୍କ ଅଟଳ ବିଶ୍ୱାସ,ଜାଣୁଥିଲେ ପାପ କରେ ବଂଶର ବିନାଶ ।ଆଜି ସେହି ପଞ୍ଚାୟତ ପାଇଛି ପଞ୍ଚତ୍ୱପ୍ରେତ ଆତ୍ମା ତାର ଛାଡ଼ି ନାହିଁ ଏ ଜଗତ ।ଦେଖ ପ୍ରତି ଗ୍ରାମେ ହେଲେ ବାଦ-ପ୍ରତିବାଦପଞ୍ଚ ପ୍ରତି ଦେଇଥାନ୍ତି ତହିଁର ସମ୍ବାଦ ।ଯେଉଁ ଗ୍ରାମେ ଥା’ନ୍ତି ସାଧୁ ସଚ୍ଚରିତ୍ର ଜନ,କରିଦେଇଥାନ୍ତି ସେହିବିବାଦ ଭଞ୍ଜନ ।ଅନେକ ଗ୍ରାମରେ’ ଛନ୍ତି ଜଘନ୍ୟ ଦୁର୍ଜନ,ଶାନ୍ତି ସ୍ଥଳେ କରିଥାନ୍ତି କଳହ ସୃଜନ ।କ୍ରୋଧେ ଅନ୍ଧ ହୋଇ ଲୋକେ ନପାରନ୍ତି ଜାଣିକରୁଥାନ୍ତି ବିବାଦରେ ପଡ଼ି ଅର୍ଥହାନି ।ଦୁଷ୍ଟଙ୍କ ଜୀବନ ଥାଏ ପାପଧନେ ବିକା,କଳି ଲଗାଇବା ତାଙ୍କ ଜୀବନ-ଜୀବିକା ।ବାଦୀ ପ୍ରତିବାଦୀ କେହି ଗଲେ ତାଙ୍କ ପାଶ,କୌଶଳେ ସଜାଇଥାନ୍ତି ଅର୍ଥଟଣା ଫାଶ ।ଆପଣାକୁ କରିଥାନ୍ତି ମୃଗେନ୍ଦ୍ର ବିଚାର,ମଣିଥାନ୍ତି ଗ୍ରାମ ଲୋକେ ତାହାଙ୍କ ଶିକାର ।କାହିଁ କାହିଁ ଛନ୍ତି ଦୁଷ୍ଟ ଗ୍ରାମ-ଅଧିପତି,ଭ୍ରୂକ୍ଷେପ କରନ୍ତି ନାହିଁ ଗ୍ରାମ-ପଞ୍ଚ-ପ୍ରତି ।ଧମକଚମକେ ପଡ଼ି ଗ୍ରାମ ପଞ୍ଚଜନକରି ଦେଇଥାନ୍ତି ତାଙ୍କ ଧନ ଅରଜନ ।ପାଇଥାନ୍ତି କିଛି କିଛି ପାପ ପୁରସ୍କାର,ମଣିଥାନ୍ତି କୁମର୍ମହିଁ ସୁପୁରୁଷକାର ।ହୃଦୟରେ ଥାଏ ତାଙ୍କ ଅଟଳ ବିଶ୍ୱାସଗ୍ରାମପତି କରିଦେଇପାରେ ସର୍ବନାଶ ।ନୁହଇ ତାଙ୍କର ସେହି ବିଶ୍ୱାସଟି ଭ୍ରାନ୍ତ,ଦେଖିଛନ୍ତି ଶତ ଶତ ତହିଁର ଦୃଷ୍ଟାନ୍ତ ।ରହି ନ ପାରଇ ତହିଁ କେବେ ରାଜବିଧି,ଗ୍ରାମପତି ଯହିଁ ଗ୍ରାମବାସୀଙ୍କର ବିଧି ।ଯେତେବେଳେ ଜଳ ବିନା ମରୁଥାଏ ଧାନ,ଗ୍ରାମପତି ଗ୍ରାସିଦିଏ ଆଇନ ବିଧାନ ।କେତେଠାରେ ପଞ୍ଚମାନେ ହୁଅନ୍ତି ତା’ ସାହା,ସର୍ବଗ୍ରାସୀ ଅନଳକୁ ଯେଉଁରୂପେ ସ୍ୱାହା ।ସର୍ବ ଅଗ୍ରେ ଯିବେ ଗ୍ରାମ ପତିକ୍ଷେତ୍ରେ ଜଳ,ତା’ ପଛକୁ ଯା’ର ଯେତେ ଥିବ ଅର୍ଥବଳ ।ଜଳ ପାଇଁ ପ୍ରଜା ସଦା ଦିଏ ରାଜ-କର,ଜଳ ପାଇବାର କିନ୍ତୁ ହୁଏ କଷ୍ଟକର ।ଏକେ ତ ଆଶ୍ୱିନ ମାସ ଅନ୍ନ ଥିବ ସରି,ଉପବାସେ ଥିବ ପୂଜା ଜୀବନ୍ମୁ ତ ସରି ।ହେଉଥିବ ଅର୍ଥ ବିନା ବୁଦ୍ଧି ତାର ବଣା,ଅର୍ଜୀ ପାଇଁ ଆବଶ୍ୟକ ହେବ ବାର ଅଣା ।ଏଣେ ଆସୁଁ ଆସୁଁ ରାଜଦ୍ୱାରରୁ ଆଦେଶ,ଜଳାଶୟ ଜଳରାଶି ହୋଇଥିବ ଶେଷ ।କିମ୍ବା ଗ୍ରାମପତି ରଚି ବିବିଧ କୌଶଳଛଳେ କରିଦେବ ରାଜ-ଆଦେଶ ବିଫଳ ।ଜଳ ପାଇଁ ସ୍ଥଳେ ସ୍ଥଳେ ହୋଇ କଳି ଜାତନିରୀହ ପରଜା-ଶିରୁକରେ ରକ୍ତପାତ ।ଅନାହାରୀ ସଭ୍ୟମାନେଏଣେ ଛନ୍ତି ବସି,ଫଳ ହାର ଲୋଭେ ଯା’ର ଚିର ଏକାଦଶୀ ।କଳି-ଦେବ ବହି ପ୍ରଜା ଦ୍ରବ୍ୟ ଭାର ଭାର,ଯୋଗାଡ଼ କରନ୍ତି ଲେହ୍ୟ ପେୟ ଫଳାହାର ।ଅନାହାରୁ ଫଳାହାର ଅବା ଜଳଯୋଗମୂଲ୍ୟରେ ଅଧିକ ହୁଏ ସେ ଏକ ସୁଯୋଗ ।ରୁଚିକର ଫଳାହାର କାହାର କୁକୁଡ଼ା,କାହାର ବା ସରୁ ଚୁଡ଼ା, କା’ ଶାଲ ଉଖୁଡ଼ା ।ଅଣ୍ଟାଖୋସାରୂପେ ଯାହା ଆଣ୍ଟ ହୋଇ ଆସେ,ମନୋମତ ଫଳାହାର ଚଳେ ତହିଁ ମାସେ ।ସାଧୁତା ବ୍ୟାଜରେ ନାନା ଅପକର୍ମ କରି,ଧନ ଦ୍ରବ୍ୟେ ଦେଇଥାନ୍ତି ନିଜ ଗୃହ ଭରି ।ବିରାଡ଼ି କରଇ ଦୁଗ୍‌ଧପାନ ଚକ୍ଷୁ ବୁଜି,ସମସ୍ତେ ଯେ ଦେଖୁଥାନ୍ତି ନପାରେ ତା’ ବୁଝି ।ଅନାହାରୀ ହୁଏ ଲୋକ ଥିଲେ ଭାଗ୍ୟବଳ,ଇହକାଳେ ମିଳିଯାଏ ସଦ୍ୟ ପୁଣ୍ୟଫଳ ।ଧନ୍ୟ କଳି, ଭୀତ ନୋହୁ ଇଂରେଜ-ଶାସନେ,ଦେଖୁଅଛୁ ବସିଛି ଯେ ଧର୍ମର ଆସନେ,ହୃଦେ ତାର ଢାଳି ଢାଳି ନାରକୀୟ ବୁଦ୍ଧି,ବେଳୁଁ ବେଳ କରୁଅଛ ପାପଭାର ବୃଦ୍ଧି ।କାହିଁ ବା ଖାତକ ନେଇ ସାହୁଠାରୁ ଟଙ୍କାପରିଶୋଧ କଲାବେଳେ ମୁହଁ କରେ ବଙ୍କା ।କେତେ ବା ବିନୟ କରି ଋଣ ଥାଏ ନେଇଉଗ୍ରମୂର୍ତ୍ତି ଧରେ ପୁଣି ନ ପାରିଲେ ଦେଇ ।କେହି ବା ନ ଦେଇ ଋଣ ହୋଇ ସାହୁକାରନିରୀହ ଲୋକଙ୍କୁ କରିଦିଏ ଛାରଖାର ।ଅଳ୍ପ ଅଳ୍ପ ଶିକ୍ଷା ଲଭି କେତେ କ୍ରୂର ଜନମିଥ୍ୟା-ଜାଲେ କରୁଛନ୍ତି ଅର୍ଥ ଅରଜନ ।ମିଥ୍ୟା-ଅସ୍ତ୍ର ତୀକ୍ଷ୍‌ଣ କରି ଅଦାଲତ-ଶାଣେମାରୁଛନ୍ତି ଅଶିକ୍ଷିତ ପରଜାଙ୍କ ପ୍ରାଣେ ।ଶାଣକାର ପରି ତହିଁ ଓକିଲମଣ୍ଡଳଟଙ୍କାମୁଣି ଭରୁଛନ୍ତି ବସି ଦଳ ଦଳ ।ତାଙ୍କଠାକୁ ଯାଉ ବାଦୀ ଅବା ପ୍ରତିବାଦୀ,ସମସ୍ୱରେ ହେଉଛନ୍ତି ତାର ଜୟନାଦୀ ।ଶିକ୍ଷାଫଳ ହେଉଅଛି ମିଥ୍ୟାପ୍ରସାରଣ,ସତ୍ୟ ମୁଖେ ପ୍ରହାରଣ, ସାଧୁ ପ୍ରତାରଣ ।ସମସ୍ତେ ଜଗତେ କିନ୍ତୁ ନୁହନ୍ତି ସମାନ,ଅଛନ୍ତି ଧାର୍ମିକ ପୁଣି ଛନ୍ତି ଜ୍ଞାନବାନ ।ସେହିମାନେ କରିଥାନ୍ତି ଉତ୍ତମ ବିଚାର,ପ୍ରକୃତ ସେ ଜଣେ ଜଣେ ଧର୍ମ-ଅବତାର ।ସେମାନେ ହୁଅନ୍ତି ଯଦି ଗ୍ରାମେ ଗ୍ରାମେ ପଞ୍ଚ,ହୋଇ ନ ପାରଇ କେବେ ବିଚାର ପ୍ରପଞ୍ଚ ।ଗ୍ରାମପଞ୍ଚ ଜାଣିଥାନ୍ତି ଗ୍ରାମର ଘଟଣା,ବଳିଷ୍ଠ ନ ହୁଏ ତହିଁ କପଟ ରଚନା ।ଚିହ୍ନିଥାନ୍ତି ମିଥ୍ୟାବାଦୀ ଦୁଷ୍ଟ ଦୁରାଚାରୀ,କେ ସରଳପ୍ରାଣ କେବା ବାହ୍ୟ ଭେକଧାରୀ ।ଯାହା ହୋଇଥାଏ ଗ୍ରାମ ଲୋକଙ୍କୁ ଅଜଣା,ସେହି କଥା ଜାଣିଥାନ୍ତି ଗୃହର ଅଙ୍ଗନାବହୁ କଥା ଜାଣିଥାନ୍ତି ଗ୍ରାମ ଶିଶୁଗଣ,ତାଙ୍କ ନେତ୍ରେ ପଡ଼ିଥାଏ ପାପ ଆଚରଣ ।ଜନକ ଜନନୀ ପାଶେ ତେଜି ଲାଜ ଭୟ,କହିଥାନ୍ତି ସବୁ କଥା ସେମାନେ ନିଶ୍ଚୟ ।ଯେଉଁ କଥା ଥାଏ ଯେତେ ଲୁଚାଇବା ଭଳି,ଘାଟେ ପ୍ରକାଶିତ ହୁଏ ତାହା ତହୁଁ ବଳି ।ଗ୍ରାମପଞ୍ଚ ପାଇଥାନ୍ତି ସକଳ ସନ୍ଧାନ,କରନ୍ତି ଅବସ୍ଥା ଦେଖି ବ୍ୟବସ୍ଥା ପ୍ରଦାନ ।ବାଛି ବାଛି ସୁଧାର୍ମିକ ପାପଭୀରୁ ଜନହେବ ଯଦି ପଞ୍ଚାୟତ ଗଠନ ସୃଜନ,ଶିକ୍ଷା ଦିଆଯାଉଥିବ ବିଚାର ବିଧାନ,କରାଯାଉଥିବ ବାରବାର ସାବଧାନ ।ପଞ୍ଚହସ୍ତେ ନ୍ୟସ୍ତ ହେଲେ ଲଘୁ ଅଧିକାର,ଅବଶ୍ୟ ଦୋର ହେବ ବହୁ ଉପକାର ।ବହୁ ଅର୍ଥ ପ୍ରଜାଙ୍କର ଗୃହେ ଯିବ ରହି,ନ ପାରିବ ଜାଲିଆଙ୍କ କୋପାନଳ ଦହି ।ଗ୍ରାମେ ଗ୍ରାମେ ହୋଇ ସତ୍ୟଯୁଗ ଆବିର୍ଭାବ,ନଗରେ ପ୍ରବିଷ୍ଟ ହେବ ତାହାର ପ୍ରଭାବ ।ନଗରେ ନଗରେ ଛନ୍ତି ଶିକ୍ଷିତ ସୁଜନ,ସେ କରିପାରନ୍ତି ସତ୍ୟଯୁଗର ସୃଜନ ।କରିବାକୁ ପରଜାଙ୍କୁ କଳି-ସିନ୍ଧୁପାର,ଋଷିକଳ୍ପ ସେହିମାନେ ଯୋଗ୍ୟ କର୍ଣ୍ଣଧାର ।ନ ବାଞ୍ଛନ୍ତି ପଦ ସେହୁ ନ ଇଚ୍ଛନ୍ତି ଧନ,ତାଙ୍କ ଧନେ ରହୁଅଛି ଲୋକଙ୍କ ଜୀବନ ।ହେଉଛନ୍ତି ବିଧି-ଦତ୍ତ ଧନେ ଭାସମାନ,ପରଧନ ମଣିଛନ୍ତି ଗରଳ ସମାନ ।ପଞ୍ଚାୟତ ନେତା ଯଦି ହୁଅନ୍ତି ସେମାନେ,ଅବଶ୍ୟ ଚଳିବ ଲୋକ ସତ୍ୟର-ବିଧାନେ ।ବାଛି ବାଛିଲୋକ ଯଦି କରିବ ସଂଗ୍ରହ,ଦେଖାଇବ ତାଙ୍କ କଥା ପାଳନେ ଆଗ୍ରହ ।ଦେଖିବା ‘ଗୋଖେଲ’ କେତେକେତେ ‘ଦାଦାଭାଇ’ସସହଜେ ପାରନ୍ତି ଯେହୁ ଭାରତ ଚଳାଇ ।କେତେ ଗାନ୍ଧି ଉପଗତ ହେବେ ତୁମ୍ଭ ଆଗେ,ସ୍ନିଗ୍‌ଧ କରିଦେବେ ମହୀ ସ୍ୱଚ୍ଛ ଅନୁରାଗେ ।ଲେଉଟି ଆସିବ ବେଗେ ପ୍ରାଚୀନ ଭାରତ,ହେବ ଶ୍ୱେତ-କେଶରୀଙ୍କ ଯଶସେନା ରତ ।ନ ଲୋଡ଼ିବେ ଲୋକେ ବିଦ୍ୟା ନିମନ୍ତେ ବେତନ,ଉଡ଼ିବ ଆକାଶଶୀର୍ଷେ ଧବଳ କେତନ ।ବିଦ୍ୟାମୃତ ପାନେ ଯା’ର ପୂରିଛି ଉଦର,ଅବିଦ୍ୟା-ଜନକ ଧନେ ତାର କି ଆଦର ।ଧନଜ-ଉନ୍ନତି ବିଶ୍ୱେ ନୁହେ ଚିରସ୍ଥାୟୀ,ସ୍ଥାୟୀ ସେ ଉନ୍ନତି ଯାହା ଧର୍ମ ଅନୁଯାୟୀ ।ଧନର ଉନ୍ନତି ଯେଉଁ କାଳ ଧ୍ୱଂସ କରେ,ଧରମ ଉନ୍ନତି ଚାହିଁ ରହେ ଯୁକ୍ତକରେ ।ଯେଉଁ ରାଜ୍ୟେ ଧରମର ପ୍ରଭା ହୁଏ ନାଶ,ପାପ-ଅନ୍ଧକାର ତାକୁ କରିଦିଏ ଗ୍ରାସ ।ଲକ୍ଷ ଲକ୍ଷ ଦୀପ କୋଟି ବିଦ୍ୟୁତ ଆଲୋକଗ୍ରାସିଦିଏ ଅମାବାସ୍ୟା-ତମ-ମଗ୍ନ ଲୋକ ।ଯହିଁ ଧର୍ମ ତହୁଁ କରେ ଲୋଭ ପଳାୟନ,ଲୋଭ ନାଶେ ସୁନିପୁଣ ଧର୍ମପରାୟଣ ।ଧାର୍ମିକ ସୁଜନ ଦେଖି କଲେ ପଞ୍ଚାୟତ,ନିଶ୍ଚୟ ସମାଜ ହେବ ଧର୍ମର ଆୟତ୍ତ ।ଲୋଭର ଜନକ ଧନ, ଧନକୁ ଯେ ଛାରମଣନ୍ତି, ସେ କରିଥାନ୍ତି ନିର୍ମଳ ବିଚାର ।ଧରମର ଆଧିପତ୍ୟ ରହିଲେ ସମାଜେ,ସମୃଦ୍ଧି-ଉନ୍ମୁଖୀ ହେବ ଭାରତ-ସାମ୍ରାଜ୍ୟେ ।

•••

Comments

Loading comments…