ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ

ଅର୍ଘ୍ୟଥାଳୀ

ଉତ୍କଳର ପ୍ରିୟପୁତ୍ର ହେ ମଧୁସୂଦନ,ମର-ତନୁ ତେଜି ଗଲ ଅମର ଭୁବନ ।ରୋଗଯନ୍ତ୍ରଣାରେ ଲବେ ନ ହୋଇ କାତରଉତ୍କଳର ହିତ ସାଧୁଥିଲ ନିରନ୍ତର ।ଭ୍ରମାଇ ଉତ୍କଳେ ମନ, ଅପଘନ ଧ୍ୟାନଉତ୍କଳର ଘରେ ଘରେ ବାଣ୍ଟିଅଛ ଜ୍ଞାନ ।ଉତ୍କଳର ଦୁଃଖଭାରେ ନ ହୋଇ ଅଧୀର,ଅସ୍ଥିସାର ଅବୟବ ଘେନିଥିଲ ବୀର !ଶରୀରବଳରୁ ଜ୍ଞାନବଳର ଉତ୍କର୍ଷ,ପ୍ରଦର୍ଶନ ପାଇଁ ଥିଲ ଉତ୍ତମ ଆଦର୍ଶ ।ନିଜର ପ୍ରତିଭା-ଦୀପ ବୁଲାଇ ଉତ୍କଳେ,ଜାଳିଲ ଅନେକ ଦୀପ ବିବିଧ କୌଶଳେ ।ଜନମିଲେ ଦିନେ ଅଛି ଅବଶ୍ୟ ମରଣ,ଅମର ସେ ଯା’କୁ ଲୋକେ କରନ୍ତି ସ୍ମରଣ ।କେତେ ଲୋକ ଦେଖିଛନ୍ତି ତୁମ୍ଭର ଶରୀର ?ନାମ ତୁମ୍ଭ ସଂଖ୍ୟାତୀତ ହୃଦେ ଚିର ସ୍ଥିର ।ଏ ସମସ୍ତ କଥା ଜାଣୁଥିଲେହେଁ ହୃଦୟ,ଦୁଃଖଭାରେ ଆଜି ହୋଇଯାଉଛି ଅଥୟ ।ଦେଖୁ ତ ନ ଥିଲି ତୁମ୍ଭ ପବିତ୍ର ମୂରତି,କିପାଁ ଦୁଃଖେ ହୃଦ ମୋର ହେଉଛି କରତି ?ଚାରିଦିଗେ ଶୁଭୁଅଛି ହାହାକାର ରବ,ଉତ୍କଳର ଚାରୁ ମୁଖ ଦିଶୁଛି ନିଷ୍ପ୍ରଭ ।ଲକ୍ଷ ଲକ୍ଷ ଲୋକ ଆଜ ବହୁ ଦୂରେ ଥାଇ,ନେତ୍ରନୀର ତେଜୁଛନ୍ତି ତୁମ୍ଭ ଗୁଣ ଗାଇ ।ବାଳକବାଳିକାବୃନ୍ଦ ହୃଦେ ଦୁଃଖ ପୋଷିକାନ୍ଦୁଛନ୍ତି ବିଦ୍ୟାଳୟେ ତୁମ୍ଭ ଗୁଣ ଘୋଷି ।ଗ୍ରାମେ ଗ୍ରାମେ ଶୋକରବେ ଶିକ୍ଷକସକଳଗାଉଛନ୍ତି ଗୁଣ କରି ଜୀବନ-ବିକଳ ।ସମ୍ବାଦପତର ଶୋକ କରୁଛି ପ୍ରଚାରସୁଗୁରୁ ଗମ୍ଭୀର ନାଦେ ବହି ଦୁଃଖଭାର ।ପ୍ରିୟ ସୁହୃଦ୍‌ବର ତୁମ୍ଭେ ରାଧାନାଥଙ୍କର,ମଣୁଥିଲ ତାଙ୍କ ପାଖେ ଅତି ସୁଖକର ।ସ୍ୱରଗେ ଲଭିବା ପାଇଁ ସେହି ବନ୍ଧୁବର,ସତ୍ୱର ତେଜିଲ ପରା ମର-କଳେବର ।ତୁମ୍ଭ ପାଇଁ ଫିଟିଅଛି ସ୍ୱର୍ଗର କବାଟ,ସରଳ ସୁଗମ ହୋଇଅଛି ପୁଣି ବାଟ ।କବିତାସକଳ ତୁମ୍ଭ ଦେବକନ୍ୟାବେଶେ,ଘେନିଯିବେ ସମାଦର କରି ସ୍ୱର୍ଗଦେଶେ ।ଦେଇଛ ତାହାଙ୍କୁ କବି କେତେ ଅଳଙ୍କାର,ସେ ଭୂଷା ଜ୍ୟୋତିରେ ନିଶ୍ଚେ ହେବ ଚମତ୍କାରଦେଇଅଛ ଜଗତକୁ ଯେତେ ଉପେଦଶ,ସେସବୁ ଧରିବେ ତହିଁ ବିଦ୍ୟାଧରବେଶ ।କରିବାକୁ ତବ ଚିତ୍ତ ପ୍ରୀତି ଆକର୍ଷଣ,ନନ୍ଦନ-କୁସୁମ ଶିରେ କରିବେ ବର୍ଷଣ,ନିଜେ ସୁରପତି ଆସି ଧରି ତୁମ୍ଭ ହାତବସାଇବେ ତହିଁ, ଯହିଁ ଥିବେ ରାଧାନାଥ ।ଜ୍ୟୋତିର୍ମୟ ରୂପ ଧରି ଗଗନମଣ୍ଡଳେବିତରଣ କରୁଥିବ ଜ୍ୟୋତି ଏକ ଉତ୍କଳେ ।

•••

Comments

Loading comments…