ଦ୍ଵିତୀୟ ସର୍ଗ
କୀଚକ ବଧ
ଦ୍ୱିତୀୟ ସର୍ଗ
ବସନ୍ତ-ବିଜୟ-ବାରତା ପ୍ରଚରିଲା ଭୁବନେ,ପାଦପ-ଆନୀତ ପତର ପରଭୃତ ପଠନେ ।ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ-ସମ୍ରାଟ-ଭାଷା,ଗମିଲେ ସରଳ ପଥରେ ତେଜି ଦକ୍ଷିଣା ଆଶା ।ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ,ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ ।ଗ୍ରହ ରାଜ୍ୟ ହେଲା ପ୍ରସନ୍ନ ତହିଁ ଗ୍ରହ ସରବେବିଳସିଲେ ମଣ୍ଡି ବିଗ୍ରହ ରମ୍ୟ ପ୍ରଭା-ବିଭବେ ।ପତି-ନୀଚଗତି-ଦୁଃଖରେ କ୍ଷୀଣ ଥିଲା ବାସର,ଫୁଲାଇଲା ମୁଦେ ଶରୀର ମୁଖ କରି ସୁନ୍ଦର ।ହରଷିତ ଦିନ ବର୍ଦ୍ଧନ ଦେଖି କୋକ ଦମ୍ପତ୍ତି,ଆନନ୍ଦ ନ ହୁଏ କାହାର ଚାହିଁ ପ୍ରିୟ ସମ୍ପତ୍ତି ।ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ,ବିଷ୍ଣୁପଦ-ସ୍ରୁତ ଜଳରେ ଝାସିଥିଲା ଝଟତି ।ତପ ଫଳେ ଏବେ ସୁନ୍ଦରୀ ନବ ଜନମ ଲଭି,ଧ୍ରୁବ-ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।ବସନ୍ତ ଅତିଥି ପୀରତି ପାଇ ଅବନୀ-ରାଣୀ,ଯୋଗାଡ଼ି ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି ।ତରଭୁଜ ଆମ୍ର ପନସ ନାନା ଖାଦ୍ୟସମ୍ଭାର,ଉପହାର ପାଇଁ ଇଜ୍ଜ୍ୱଳ ଫୁଲ ମାଣିକ୍ୟ-ହାର ।ପ୍ରମୋଦ ନିମନ୍ତେ କାନନ ମଣ୍ଡାଗଲା ଯତନେ,ମଧୁକ-ମୁକୁତା-ପୁଞ୍ଜରେ ଚାର-ନୀଳ ରତନେ ।ରତ୍ନମୟ-ସିନ୍ଧୁ-ତରଙ୍ଗ-ଦୋଳା ବରଜି ରଙ୍ଗେ,ବିଜେ କଲେ ଧୀର ସମୀର ଚାରୁ ବସନ୍ତ ସଙ୍ଗେ ।ପୁଷ୍ପଚ୍ଛାୟା ସ୍ନିଗ୍ଧ-ସୁରମ୍ୟ ପୁଷ୍ପମୟ ମାର୍ଗରେ,ଆସି ବିହରିଲେ କୁସୁମ-କୁଞ୍ଜେ ଅନୁରାଗରେବିକଶିତ ନବମାଳିକା ଅର୍ଘ୍ୟ ଧରି ସମ୍ମୁଖେ,ଚନ୍ଦ୍ରିକା ସୁନ୍ଦରୀ ସ୍ୱାଗତ କଲା ଚକୋର ମୁଖେ ।ଉଜ୍ଜ୍ବଳ ବସନ ଭୂଷଣ ମନୋହର ବେଶରେ,ସୁକାନ୍ତି ସୁମୁଖୀ ସତ୍ୱର ମିଳିଗଲା ପାଶରେ ।ସୁକୁମାର ବିଶ୍ୱବିଜୟୀ ଅନୁପମ ସୁନ୍ଦର,ପୁଷ୍ପମୟ ବେଶେ ମିଳିଲେ ତହିଁ କୁସୁମ-ଶର ।ପାଞ୍ଚ ଜଣ ମିଶି ଆମୋଦ ବିରଚିଲେ ତାଣ୍ଡବ,ତାଣ୍ଡବ ନୁହେଁ ତା’ ସରସ-ଫଳ-ପୂର୍ଣ୍ଣ ଖାଣ୍ଡବ।ସେ ଖାଣ୍ଡବ ଫଳ ଭୋଜନେ ହେଲା ଜଗତ ଲୁବ୍ଧ,କେ ପାଇ ଆନନ୍ଦେ ନାଚିଲା କେ ବା ନପାଇ କ୍ଷୁବ୍ଧ ।ସନ୍ତାପିତ ହେଲା ମଧ୍ୟାହ୍ନ ପିତୃପ୍ରସୂ ସୁନ୍ଦର,ପଲ୍ଲବିତ ହେଲେ ପାଦପେ, ଶୁଷ୍କ ନଦୀ-ଉଦର ।କିଂଶୁକ-ରକତ-ବିଗ୍ରହ-ବନକାନ୍ତି ବଢ଼ିଲା,ଚନ୍ଦ୍ରିକାର ନବ-ପ୍ରସୂତି ବିଭାବରୀ ସଢିଲା ।ପ୍ରୀତି-ପାରାବାରେ ଛାଡ଼ିଲେ ପ୍ରାଣପୋତ ଯୋଗିଏମଦନ-ଅନଳ-ତାପରେ ବିଚଳିତ ଯୋଗୀଏ ।ଏ ସମୟେ ମଧୁଶେଷରେ ହେଲା ମଙ୍ଗଳବାର,ସମୟ ବିରାଟ ନାରୀଙ୍କ ବନଦୁର୍ଗା-ପୂଜାର ।ସହକାର-ବନ-ବେଷ୍ଟିତ ସର ଉପକୂଳରେ,ଶୋଭେ ବନଦୁର୍ଗା ଦେଉଳ ସ୍ୱର୍ଣ୍ଣକୁମ୍ଭ ଚୂଳରେ ।ପ୍ରସାଦ-ଦୃଷ୍ଟିରେ କାନନ ସର ପବିତ୍ର କରି,ଅଧିଷ୍ଠାନ ତହିଁ କରନ୍ତି ବନଦୁର୍ଗା ଈଶ୍ୱରୀ ।ବାଦିତ୍ର ଶବଦେ କମ୍ପିଲା ସହକାର କାନନକମ୍ପିଲା ଭ୍ରମର-ଚିକୁର ପଦ୍ମବନ ଆନନ ।ଜନସ୍ରୋତ ବନ ପୂରାଇ ପୁଣି ବହେ ଉଜାଣି,କୋଳାହଳ-ବୀଚି ଉଠିଲା ସିନ୍ଧୁ ଶବଦ ଜାଣି ।ବସନ ଭୂଷଣ ପିନ୍ଧିଣ ଯାହା ଥିଲା ଯାହାର,ଦେବୀପୂଜା ପାଇଁ ନାରୀଏ ପୂରୁଁ ହେଲେ ବାହାର ।କେ ଚମ୍ପାଗଉରୀ ପିନ୍ଧିଲା ରମ୍ୟ ରଙ୍ଗ-ଦୁକୂଳ,ଗୋଧୂଳି-ମସ୍ତକ-ମଣ୍ଡନ ଚାରୁ ତାରକା ତୁଲ୍ୟ ।ମଣ୍ଡିତ ହୋଇ କେ ସୁନ୍ଦରୀମଣି ହରିତ ବାସେ,ଦୂର୍ବାବୃତ ଧରା ଉରସେ ଗଙ୍ଗାଶୋଭା ପ୍ରକାଶେ ।ଅନୁକରି ଅମା ତାରକାମୟ ନୀଳ ଅମ୍ବର,କେ ପିନ୍ଧିଲା ସ୍ୱର୍ଣ୍ଣ-ପୁଷ୍ପିତ ନବ ନୀଳ ଅମ୍ବର ।ବାଳଭାନୁ-ପ୍ରଭା-ଗୁମ୍ପିତ ଶୃଙ୍ଗଧର ସଦୃଶୀହେଲା ପୀତବାସେ କେ ପୀନପୟୋଧରୀ ସୁଦୃଶୀ ।ଶତଭିଷା ଦଳେ ଶୋଭିତ ପୂର୍ବଭାଦ୍ରବାକାରେ,ଉରଜଯୁଗଳ ଶୋଭିଲା କାହା ମୁକୁତାହାରେ ।କେ ନକ୍ଷତ୍ରମାଳା ଉରସୀ ଚାରୁ ମୁଖ ଲୋକନେ,ରେବତୀ-ଭବନ-ଅତିଥି ଗୁରୁ ପଡ଼ନ୍ତି ମନେ ।କାହା ହେମ-ଦଣ୍ଡି ନିକଟେ ମଣି-ନଥ ସୁଷମଆଣଇ ଚତୁର୍ଥୀ ଚନ୍ଦ୍ରମା ପାଶ ବିଶାଖା ଭ୍ରମ ।ପୂଜାଥାଳି କରେ ଶୋଭିତା ହେଲେ ସର୍ବ ଯୋଷିତ,ସୂର୍ଯ୍ୟମୁଖୀ ଉପବନ କି ହେଲା ନବ-ପୁଷ୍ପିତ ।ଅମୂଲ୍ୟ ବସନ ଭୂଷଣେ ହୋଇ ଲୋକ ଉତ୍ତରା,ବାହାରିଲେ ରାଣୀ ସୁଦେଷ୍ଣା ରୂପନିଧି ଉତ୍ତରା ।ରୂପବତୀ-କୁଳ-କମଳା ମହୀରତନହାର,ଦ୍ରୌପଦୀ ସୁନ୍ଦରୀ ତାହାଙ୍କ ସଙ୍ଗେ ହେଲେ ବାହାର ।ପୂଜା ଉପଚାର ରାଣୀଙ୍କ ରାଜ-ସୁତାଙ୍କ ପାଇଁ,ଧଇଲେ ଦାସୀଏ ଯତନେ ସ୍ୱର୍ଣ୍ଣଥାଳ ପୂରାଇ ।ରାଜ-ଅବରୋଧବାସିନୀ ଅନ୍ୟ ଲଳନା-ବ୍ରଜ,ହେଲେ ରାଣୀ ଅନୁଗାମିନୀ ହୋଇ ବିବିଧ ସଜ ।ଭବନୁ ବାହାରି ଭାବିନୀବୃନ୍ଦ ମଣ୍ଡିଲେ ଦାଣ୍ଡ,ତୂଣୀରୁ କି କଲା ବାହାର ମାର ଅମିତ କାଣ୍ଡ ।ଜମ୍ବୁନଦ-ହାର ମଧ୍ୟରେ ହୀରା-ପଦକ ପରି,ଦିଶୁଥୁଲେ ନାରୀଗହଣେ ସଇରିନ୍ଧ୍ରୀ ସୁନ୍ଦରୀ ।ସୁନ୍ଦରୀସମାଜ-ଦର୍ଶନେ ହୃଦ ଏ ଭାବ ପୋଷେ,ପଶିଲା କି ବୃଷ୍ଟି ପୟୋଧିପତି ରତନ କୋଷେ ।କି ଅବା ନୟନ-ରଞ୍ଜନ ଅପସରା ଭୁବନେ,ଆତ୍ମା କରିଅଛି ପ୍ରବେଶ ଭ୍ରମୁ ଭ୍ରମୁ ସ୍ୱପନେ ।ନୁହେଁ ରତ୍ନକୋଷ, ନୁହଁନ୍ତି ସ୍ବପ୍ନ ଅପ୍ସରାବ୍ରାତ,କୀଚକ ମରଣସୂଚକ ଘୋର ଉଲକାପାତ ।ଋଜୁ ଶକ୍ରଚାପ ଶୋଭାରେ ମଣ୍ଡି ଅବନୀତଳ,ଚାଲିଲେ ରତନ-ଉଜ୍ଜ୍ୱଳା ବାମଲୋଚନାଦଳସେ ମାଧୁରୀ ତୀର୍ଥ ଜଳରେ ନିମଜ୍ଜାଇ ନୟନ,ନେତ୍ରପାପ କଲେ ମୋଚନ ତହିଁ ଦର୍ଶକଗଣ ।ଦ୍ବିତଳ ତୋରଣେ କୀଚକ ବୀର ବସି ଆରାମେ,ମୁଖ-କୁସୁମର କଳନା କଲା ଲଳନାରାମେ ।ଭ୍ରମୁଁ ଭ୍ରମୁଁ ରସଲୋଲୁପ ତାର ନେତ୍ର-ଷଟ୍ପଦ,ପାଇଲା ପାଞ୍ଚାଳୀ ବଦନ ନବ ପୁଷ୍ପ ସମ୍ପଦ ।ଚାହିଁ ଚମତ୍କାରେ ରହିଲା କ୍ଷଣେ ହୋଇ ସ୍ତମ୍ଭିତ,ରୂପ-ମକରନ୍ଦପାନରେ କ୍ରମେ ହେଲା ମଜ୍ଜିତ ।ଭାବିଲା ଚୁମ୍ବିଛି କମଳ, ଚମ୍ପା, ମାଧବୀ, ମଲ୍ଲୀ,ନାହିଁ ତ କାହାରି ମାଧୁରୀ ଏହି କୁସୁମ ଭଳି ।ବସିଛି ମାଳତୀ ଯୂଥିକା ନବମାଳିକା ଫୁଲେ,ମନ ବଳୁନାହିଁ ତୁଳିବା ପାଇଁ ଏ ପୁଷ୍ପ ତୁଲେ ।ଗୋଲାପ, ସେବତୀ, କଞ୍ଚନ ଫୁଲେ ଅଛି ଗମନ,ତହିଁରେ ସମତା ରଖିବା ତିଳେ ନୋହୁଛି ମନଭ୍ରମିଅଛି କାଷ୍ଠ-ଚମ୍ପକ ନବ ବକୁଳବନେ,ତାଙ୍କୁ ଅବା ଆଣି ତୁଳିବି ଏହା ସଙ୍ଗେ କେସନେ ?ବିଶ୍ୱରାଜ-ପ୍ରିୟା କ୍ରୀଡ଼ିତ ନଭଃ ପ୍ରମଦ-ବନ,ତାରା-ପୁଷ୍ପଚୟ କରନ୍ତି ଯହିଁ ଚିତ୍ତରଞ୍ଜନ,କୁହୁରାତ୍ରି-ପୁଷ୍ପକାଳର ତହିଁ ବିହାର ଦେଖି,ସେ କୁସୁମ ଯେତେ ଫୁଟନ୍ତି ତାହା ନ ହେବ ଲେଖି ।ସେ ବନେ ଥିଲା ଯେ ପୀରତି ତାହା ହେଲାଣି ନ୍ୟୂନ,ଦେଖିଲାବେଳୁ ଏ ମଘବା-ଶିରଭ୍ରଷ୍ଟ ପ୍ରସୂନ ।ରାକା ମାଳିନୀର କୌମୁଦୀ-କୁସୁମିତ ଉଦ୍ୟାନ,କରୁଥିଲି ତହୁଁ ମଧୁର ମୃଦୁ ପ୍ରୀତି ଆଦାନ ।ଆଜହୁଁ ତହିଁରେ ମୋହର ଭାଙ୍ଗିଦେଲା ଶରଧା,ଏ ମଦନ-କଳ୍ପପାଦପପୁଷ୍ପ ଇଷ୍ଟ–ବରଦା ।କାନ୍ତି ଚାହିଁ ପୁଣି କରଇ ମନେ ଏ ଆଲୋଚନା,ରବିରଶ୍ମି ଉପାଦାନେ କି ଗଢ଼ା ବାମଲୋଚନା ।ଶନି ବୃହସ୍ପତି ମଙ୍ଗଳ ଯେଉଁ କରେ ଦୀପିତ,ସେହି ପ୍ରଭାରାଶି ଏଥିରେ ହୋଇଅଛି ଗ୍ରଥିତ ।କୃଷ୍ଣବର୍ଣ୍ଣ ଚାରୁ କୁନ୍ତଳେ ପୀତବର୍ଣ୍ଣ ବିଗ୍ରହେ,ରକ୍ତବର୍ଣ୍ଣ ପ୍ରତିଫଳିତ ପାଣିଚରଣ ଦ୍ୱୟେ।ଅଳଙ୍କୃତ ନବ ଅରୁଣ ରାମା ଓଷ୍ଠ ଅଧରେ,ବିକଶିତ ମୁଖ-କମଳ ସ୍ବଚ୍ଛ ପ୍ରେମ-ରସରେ ।ପୁଲକ ପାଳକ-ମାନସ ମତ୍ସ୍ୟ-ରଙ୍କ ଅଧୀରେ,ମଜ୍ଜିଲା ସେ ମୀନ-ନୟନା-ରୂପ-ଲାବଣ୍ୟ-ନୀରେ ।ନୟନ ମନର ଏ ଭାବେ ଆନ ଇନ୍ଦ୍ରିୟଗଣ,ସୁଖଲାଭ ଲୋଭେ ସ୍ବଭାବ-ବଶେ ନେଲେ ଶରଣ।ଦେଖୁଁ ଦେଖୁଁ କରି ଅନ୍ଧାର କୀଚକର ନୟନ,ଗଲା ରୋଶନାଇ ମଣ୍ଡନ ସେହି କୁସୁମବନ ।ବସୁମତୀ କରି କ୍ୱଣିତ ମଞ୍ଜୁ ମଞ୍ଜୀର ନାଦେ,ମଦନ ପତାକା ଗରବ ଗଞ୍ଜି ଅଞ୍ଚଳ ବାଦେ ।ଗତିପଥ କରି ଉଜ୍ଜ୍ୱଳ ରମ୍ୟ ରତ୍ନ-ମୟୂଖେ,ସେ ସୌନ୍ଦର୍ଯ୍ୟ-ସ୍ରୋତ ଚାଲିଲା ଦେବୀ ଦେଉଳମୁଖେ ।ସୁର-ତରଙ୍ଗିଣୀ ଆଗରେ ଭଗୀରଥଙ୍କ ପରିଆଗେ ଆଗେ ଚାଲି ପ୍ରହରୀ କାଟେ ଲୋକ-ଲହରୀ ।ଅପରାହ୍ଣ ରବିକିରଣ ସ୍ୱର୍ଣ୍ଣ ଜଳସଙ୍କାଶନାରୀଦଳ ଅଙ୍ଗେ, ଗିଲିଟୀ-କାନ୍ତି କଲା ପ୍ରକାଶ ।ଝକିଲା କପାଳ କପୋଳ ଦୀପ୍ତ ହେଲା ବଦନ,ଚକଚକାୟିତ ଚିକ୍କଣ କେଶ ରତ୍ନ-ଭୂଷଣ ।ବିକିରିଲେ ଅଙ୍ଗ ଭୂଷଣଚୟ ଅଧିକ ପ୍ରଭାସେହି ଦୀକ୍ଷା ନେଲା ବସନଜରି, ସ୍ୱର୍ଣ୍ଣଗରଭା ।ଲୋକଲୋଚନରେ ଦୀପିତ ଦାନଶୌଣ୍ଡ-ଶେଖରଦେଉଳ ସୁବର୍ଣ୍ଣ କଳସ ଦୀପ୍ତି କଲା ପ୍ରଖର ।ଦେଖି ଦୂରୁ ସମଧର୍ମିଣୀ ଲୋକେ ଦୀପ୍ତିଦାନରେ,ଡାକିଲା ଜି ନାରୀଶ୍ରେଣୀକି ଊର୍ଦ୍ଧ୍ୱ ତ୍ରିଶୂଳ-କରେ ।ରବିକରବର୍ଣ୍ଣେ ଭୂଷିତ ରତ୍ନାକର ଲହରୀସିକତାରୋହଣ କ୍ରୀଡ଼ାର ଗେଲ ଗରବ ହରି ।ସୁଧା-ଧବଳିତ ସୋପାନେ ନାନା ରତ୍ନ ଭୂଷିତ,ରମଣୀ-ପ୍ରବାହ ବଢ଼ିଲା ହୋଇ ତରଙ୍ଗାୟିତ ।ପ୍ରେମ ଭକତିରେ ଅବଳା-ଦଳ ପୂରାଇ ହିଆ,ହେଲେ ଯାଇ ଦେବୀ ସମ୍ମୁଖେ ଅର୍ଦ୍ଧମଣ୍ଡଳେ ଠିଆ ।ସୌନ୍ଦର୍ଯ୍ୟ-ସୌରଭ-ପୂରିତ ନାନା ପୁଷ୍ପ-କଳିତମାଳା କି ଦେବୀଙ୍କ ଦେଉଳ ହୃଦୟରେ ଲଳିତ ।ଦେଇ ଅଙ୍ଗରାଗ କୁସୁମ କାଳି କନକ-ଦୀପ,ନୀରାଜନା କଲେ ସୁଦେଷ୍ଣା ଯାଇ ଦେବୀ ସମୀପ ।ତରତରେ ଆନ ବାମାଏ ହୋଇ ଦୀପଧାରିଣୀ,ହେଲେ ସମୁଲ୍ଲାସେ ରାଣୀଙ୍କ ପୂଜା ଅନୁକାରିଣୀ ।ପଳାଶମଣ୍ଡିତା ଦେବୀଙ୍କ ଆଗେ ରମଣୀକୁଳ,ଦୀପହସ୍ତେ ଉଭା ହେବାର ଶୋଭା ହେଲା ଅତୁଳ ।ଭାନୁ-ସହଚରୀ ପ୍ରଭାର ଦେଖି ଶୁଭାଗମନ,ସ୍ୱର୍ଣ୍ଣ-ବରାଟକ ଭେଟିଲା କି ସେ ନଳିନୀବନ ?କିମ୍ବା ସିନ୍ଦୂରିତ ସନ୍ଧ୍ୟାର ବକ୍ଷେ ରଜନୀବାଳା,ବିଭୂଷିତ କଲା ତାରକାରୂପୀ ହୀରକମାଳା ।ପ୍ରଦୋଷ ବାରୁଣୀ ଆଗରେ ଅବା ଶଇଳଶ୍ରେଣୀ,ଶୋଭିତ ନିଦାଘସୁଲଭ ବହ୍ନି-କଳସ ଘେନି ।ଦୀପ ଆଲୋକରେ ଝଳିଲା ନାରୀ ଅଙ୍ଗଭୂଷଣ,ତପନ କିରଣ ସ୍ପରଶେ ଯଥା କୀଲାଲକଣ ।ଧୂପେ ଆମୋଦିତ ଦେଉଳ କରି ରମଣୀମାନେ,ଫୁଟାଇ କାମନା-କୁସୁମ-ମାନ ହୃଦ-ଉଦ୍ୟାନେ ।ଘେନି ସୁପ୍ରସାଦ ଦେବୀଙ୍କ ତେଜି ଦେବୀ-ପ୍ରସାଦ,ନିଜ ନିଜ ପୁରମୁଖରେ ଧୀରେ ଚାଳିଲେ ପାଦ ।ଗୃହରେ ବାଳକମାନଙ୍କୁ ଫୁଲ ପ୍ରସାଦ ଦେଇ,ଆନନ୍ଦେ ବୋଇଲେ, ଏହାଙ୍କୁ ସୁଖେ ରଖନ୍ତୁ ଦେଈ ।
Comments
Loading comments…