କାହାକୁ କହିବା

କବିତା କଲ୍ଲୋଳିନୀ

କାହାକୁ କହିବା କପାଳରେ ସିନା କର ତାଡ଼ିବା।। (ଘୋଷା)

ଭଜିଥିବ ଭାବି କଳପଲତା, କାଳେ ସେ ହୋଇଲେ ଅପରାଜିତା,କରି ଗୋଦାବରୀ ନିକଟେ ବସା, କାଳଦେବତା ହେବ ଯେବେ ତୃଷା। ।୧।

ନଥର ପରୀକ୍ଷିତ ହୀରାମଣି, ପଥରୁ ଯେବେ ହେବ ଊଣା ପୁଣି,କର ହାଜର ଥିବ ପଦ୍ମନିଧି, ଜନମିବ ଯେବେ ଯାଚକ ବୁଦ୍ଧି। ।୨।

ପିନ୍ଧିଥିବ ଜାମାନିମାଗୁଡ଼ିକି, ଗୁପତ ଅଙ୍ଗ ଦିଶିଲେ ଝଲକି,ହରିଭଜନମାଳା ଥିବ କରେ, ଧରି ନେବେ ଯେବେ ଯମ କିଙ୍କରେ। ।୩।

ଶୟନକୁ ଥିବ ହଂସୁଲିତୂଳି, ନିଜ ଅଙ୍ଗରୁ ଜନମିଲେ ଧୁଳି,ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା, କଣ୍ଠ ଉପକଣ୍ଠ ଲାଗିଲେ ପିତା। ।୪।

ଜୀଇବା ପାଇ ପିଇବା ପୀୟୁଷ, ପରିପାକେ ଯେବେ ହେବ ସେ ବିଷ,କୁନ୍ଦନ ଯେବେ ପାଲଟିବ ରଙ୍ଗ, କଟିସୂତ୍ର ଯେବେ ହେବ ଭୁଜଙ୍ଗ। ।୫।

କେତକୀରୁ ସମ୍ଭବିଲେ ଦୁର୍ବାସ, ଶିରଗଭାରୁ ଜନ୍ମିଲେ କୁଳିଶ,ନିଜ ନିଶ୍ୱାସରେ ପଡ଼ିଲେ ଢ଼ଳି, ଜଠରାନଳେ ଦେହ ଗଲେ ଜଳି। ।୬।

ସକଳ ସଉଭାଗ୍ୟ ଅଭିଳାଷେ, ଅନୁସରି ସୁରସୁରଭି ପାଶେ,ଦୋହନକାଳେ ଦୁଧରୁ ତାହାର, ଧରାପରାଗ ହୋଇଲେ ବାହାର। ।୭।

ପିଞ୍ଜରମଣ୍ଡନ ପଢ଼ା ଶାରିକା, ପଢ଼ା ଛାଡ଼ି କଲେ ମଣ୍ଡୁକ ଡକା,କପିତ୍ଥ ଫଳିଲେ ରସାଳଲତା, ଅଶୁଭ ପାଞ୍ଚିଲେ ଇଷ୍ଟଦେବତା। ।୮।

ଜ୍ୟୋତିଷ୍ମନ୍ତ ତାର ନୟନେ ଥିବ, ସମୀପ ଦୀପ ଯେବେ ନ ଦିଶିବ,ଘନସାର ସାର ସଙ୍ଗମ କ୍ଷଣେ, ଆନ୍ଧ୍ୟ ଯେବେ ଜନମିବ ଈକ୍ଷଣେ। ।୯।

ଦୂର ହୋଇବାକୁ ଦୁରିତବ୍ୟୁହ, ଗଙ୍ଗାପ୍ରବାହେ କରି ଅବଗାହ,ନିତ୍ୟ ନିବାସ କରିଥିବ କାଶୀ, ଆସି ଗ୍ରାସି ଦେଲେ ପାତକରାଶି। ।୧୦।

ହାତୀ ବିତରଣ କରି ଯାଚକେ, ଜାତି କୃପଣ ବୋଲାଇଲେ ଲୋକେ,ପାତିତ୍ୟଧ୍ୱଂସୀ ଶ୍ରୀମହାପ୍ରସାଦେ, ଜାତିବିଧ୍ୱଂସ ହେଲେ ପରମାଦେ। ।୧୧।

ଅବଲମ୍ବ କରି ଗରୁଡ଼ନିଡ଼, ଡୁଣ୍ଡୁଭରୁ ହେଲେ ଭୟ ନିବାଡ଼,ହରିଦରୀମଧ୍ୟ କରି ଶରଣ, ଶଶ ସକାଶୁଁ ଲଭିଲେ ମରଣ। ।୧୨।

ସିନ୍ଧୁରେ ପଶି ନ ତିନ୍ତିଲେ ପାଦ, ସାଯୁଜ୍ୟ ମୋକ୍ଷରେ ଥିଲେ ବିପଦ,ମାଜି ନିର୍ମଳ ମୁକୁରକୁ ଚାହିଁ, ପ୍ରତିବିମ୍ବ ଯେବେ ଦିଶିବ ନାହିଁ। ।୧୩।

ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଚେଦ, କାମକାଣ୍ଡରେ ହେଲେ ଶିରଚ୍ଚେଦ,ସେବିବା ସଂଜୀବନୀ ମହୌଷଧ, ନୋହିବ ଯେବେ ଆମୟ-ନିଷେଧ। ।୧୪।

ହିମଗିରିଦରୀ କରି ଆଶ୍ରୟ, ହେଲେ ନିଦାଘ ଭୟ ଅତିଶୟ,ପଣ୍ଡିତମଣ୍ଡଳୀରେ କରି ସ୍ଥିତି, ଜଣା ନୋହିଲେ ବଚନ ସଙ୍ଗତି। ।୧୫।

ଜାଣି ବେଦବିଦ୍ୟା ତତ୍ତ୍ୱସାରକୁ, ମୁରୁଖ ବୋଲାଇଲେ ଆଖରକୁ,ପରଶୁରାମଙ୍କୁ କରିବା ଗୁରୁ, ପଳାଇବା ଯେବେ ଅରି ଆଗରୁ। ।୧୬।

ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ, ଅତାଳଞାନୀ ବୋଲାଇଲେ ଶେଷେ,ଧରଣୀଦେବଙ୍କ ଚରଣରଜ, ଶିରେ ଘେନିବା ଯେବେ ହେବ ଲାଜ। ।୧୭।

ଶରୀର ଖେଦ ହୋଇବାକୁ ଶାନ୍ତ, ଚାଳିବା ମନ୍ଦ ମନ୍ଦ ତାଳବୃନ୍ତ,ତହୁଁ ନ ଜନମି ମୃଦୁ ଅନିଳ, ସମ୍ଭବିବ ଯେବେ ପ୍ରଳୟାନଳ। ।୧୮।

କହଇ ଜଳନ୍ତର ପୁରନ୍ଦର, ଶୋଭା ନିମନ୍ତେ ବହି ଅଳଙ୍କାର,ତହୁଁ ସୁନ୍ଦରଭାବ ନ ଦିଶିବ, ପିଶାଚ ପରିଯେବେ ଆଭାସିବ।

କାହାକୁ କହିବା କପାଳରେ ସିନା କର ତାଡ଼ିବା।୧୯।

Comments

Loading comments…