ଜଗନ୍ନାଥ ଜଣାଣ

କବିତା କଲ୍ଲୋଳିନୀ

କ୍ଷୀରମୟ ସିନ୍ଧୁ-ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି।ଟେକି ସମ-ଦୃଷ୍ଟିପତାକାକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ।କେ କି କଲା ମୁଁ ନ କଲି।କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ। ୧ ।

ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ।ଚରଣପଙ୍କଜ ସ୍ମରଣ ବିନା ସେ କିସ କରିଥିଲା ଆଉ ହେ ମହାପ୍ରଭୁ।କୁମ୍ଭୀର ଗ୍ରାସନ୍ତେ ଗାତ୍ର।ଜନେ କହିବାରେ ଅନେକପ-ରଜା ମନେ କଲା ସିନା ମାତ୍ର ହେ ମହାପ୍ରଭୁ। ୨ ।

ନୃପସଭା ମଧ୍ୟେ ଅସ୍ଥିର ହୁଅନ୍ତେ ଦ୍ରୁପଦସୁତା ଆବର।ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣି ନାହିଁ ମୋର ହେ ମହାପ୍ରଭୁ।ହିତେ ଯେ ଥାଅ ନିରତେ।ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ ପଣ୍ଡୁରାଜା ସୁତେ ହେ ମହାପ୍ରଭୁ। ୩ ।

ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜି କି।ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ।ଜଗତେ ତ ତାହା ଜଣା।ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ। ୪ ।

ନଳକୁବରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ।ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛ ପରା ପୁରୁବେ ହେ ମହାପ୍ରଭୁ।ମୁନିଙ୍କ ଆଶ୍ରମ ଶିଳା।ତୁମ୍ଭଙ୍କୁ କି ଉପକାର କରି ରୂପବତୀ ହୋଇ ବିଳସିଲା ହେ ମହାପ୍ରଭୁ। ୫ ।

କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୁପ ଆଚରିଲେ।ଗଳିତାଏ ଖୁଦ ଞ୍ଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ।ଆଉ କେ କି କଲା କହ।କାହା କାମକୁମ୍ଭ ପୂରି ନାହିଁ ତୁମ୍ଭ ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ। ୬ ।

ଅନନୁଗତ ତୋ ମନ ନୋହେ ବୋଲି ଆଜ୍ଞା ହେବ ଅବା ମୋତେ।ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ।ଅଜାମିଳ ମହୀସୁର।କେଉଁ ସାବଧାନ ହୋଇ ନାମଗାନ କରିଥିଲେ ସେ ତୁମ୍ଭର ହେ ମହାପ୍ରଭୁ। ୭ ।

କବିରବି ରାୟଗୁରୁ ଯୋଡ଼ି କରଯୁଗକୁ ଛାମୁରେ କହେ,ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ ମହାପ୍ରଭୁ।ସବୁ ତୁମ୍ଭ ଇଚ୍ଛା ସିନା,ରଖ ବା ନ ରଖ ମୋହରି ଗତି ତ ପତିତପାବନବାନା ହେ ମହାପ୍ରଭୁ। ୮ ।

Comments

Loading comments…